'ଭବାନୀପାଟଣା ତା:୧୪/୦୨()କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଞ୍ଚଳରେ ଅଭାବ ଅନାଟନର ଶିକାର ହୋଇ ଗୋଟିଏ ପରିବାରର ଜନୈକା ନାବାଳିକା ଦାଦନ ସର୍ଦ୍ଦାର ନିକଟରେ ବନ୍ଧକ ଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଫଳରେ ଏହି ପରିବାରର କରୁଣ କାହାଣୀକୁ ନେଇ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମିଲିଥିବା ସୂଚନା ଅନୁସାରେ ଏହି ଥାନା ଅର୍ନ୍ତଗତ ମିନଗୁର ଧାନମଣ୍ଡି ପଡାରେ ବାସସ୍ଥାନ କରିଛନ୍ତି ବଟକୃଷ୍ଣ ଗୋପାଲଙ୍କ ପରିବାର । ବଟକୃଷ୍ଣ ଙ୍କ ପରିବାର କହିଲେ ସ୍ତ୍ରୀ ବିଳାସିନୀ ବଡ଼ଝିଅ ଲକ୍ଷ୍ମୀ, ଦିତୀୟ ଝିଅ ଲୟ, ତୃତୀୟ ଝିଅ ସରସ୍ଵତୀ, ଚତୁର୍ଥ ଝିଅ ବୈଦେହୀ, ପଞ୍ଚମ ଝିଅ ପାର୍ବତୀ ଓ ଏକମାତ୍ର ପୁଅ ହରିଶ ସମେତ ୮୫ଶର୍ଷିୟା ବୃଦ୍ଧା ମାଆଙ୍କୁ ନେଇ ତାଙ୍କ ପରିବାର । ଏହି ପରିବାରର ଛଅ ସନ୍ତାନ ମାନଙ୍କ ମଧ୍ୟରୁ ସରସ୍ଵତୀ ଓ ପାର୍ବତୀ ଦୁଇ ଝିଅ କଥା କହି ପାରୁଥିବା ବେଳେ , ଅନ୍ୟ ସମସ୍ତେ (ମୂକ) ଭିନ୍ନକ୍ଷମ । ଝାଟିମାଟି କୁଡିଆ ଘରେ ନଅ ପ୍ରାଣୀ କୁଟୁମ୍ବ କୌଣସି ପ୍ରକାରେ ରହି ଆସୁଛନ୍ତି । ସରକାରଙ୍କ ତରଫରୁ ତାଙ୍କୁ ଆବାସ ଘର ଖଣ୍ଡେ ଆସିଲା । ସେହି ଘର ନିର୍ମାଣ ପାଇଁ ପରିବାରବର୍ଗ ସବୁ ଲାଗି ପଡିଲେ । ଘରର ଏକମାତ୍ର ରୋଜଗାରିଆ ଭାବେ ବଟକୃଷ୍ଣ ପରିବାର ପ୍ରତିପୋଷଣ କରି ଆସୁଥିବା ବେଳେ, ଘର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବାରୁ ଖାଦ୍ୟପେୟର ଅଭାବ ଦେଖାଦେଲା । ଏପଟେ ଘର ଅଧପନ୍ତରିଆ ରହିଥିବା ବେଳେ ସବୁକୁ ଛାଡି ସେ ଦାଦନ ଯିବାକୁ ପ୍ରସ୍ତୁତ ହେଲେ । ଜଣେ ଦାଦନ ସର୍ଦ୍ଦାରଙ୍କ ସହିତ ଯୋଗାଯୋଗ କରି ସ୍ତ୍ରୀ ବିଳାସିନୀ, ଝିଅ ଲୟ ଓ ଝିଅ ସରସ୍ଵତୀଙ୍କୁ ଧରି ବାହାରି ପଡିଲେ । ସେଠାରେ ଦାଦନ ସର୍ଦ୍ଦାର ତାମିଲନାଡୁର ରାମଗୁଣ୍ଡାକୁ ନେଇ ଅନ୍ୟ ଜଣେ ସଂପର୍କୀୟ ଲୋକଙ୍କୁ ଏମାନଙ୍କୁ ଜିମା ଦେଲା । ସେହି ସଂପର୍କିୟ ଲୋକ ଏମାନଙ୍କୁ ଭଡାଘର ଯୋଗାଇବା ସହିତ ଘର କାମରେ ନିୟୋଜିତ କଲେ । କିଛି ଦିନ କାମ କରିବା ପରେ ଖାଦ୍ୟପେୟ ତଥା ଟଙ୍କାର ଅଭାବ ଦେଖାଦେବାରୁ ଏମାନେ ସେହି ଲୋକଙ୍କୁ କହିଲେ, ସେ ଟଙ୍କା ପଇସା କି ଖାଦ୍ୟ ବ୍ୟବସ୍ଥା ନ କରି ଓଲଟା ଗାଲି ଗୁଲଜ ଓ ମାରଧର କରିବାରେ ଲାଗିଲା । ନିର୍ଯ୍ୟାତନା ଅସହ୍ୟ ହେବାରୁ ବଟକୃଷ୍ଣର ପରିବାର ଘରକୁ ଫେରି ଯିବାକୁ ଅଡି ବସିଲେ । ସାମାନ ପତ୍ର ସଜାଡି ଘରକୁ ଆସିବାକୁ ସଜବାଜ ହେଉଥିବା ଖବର ପାଇ ଦାଦନ ସର୍ଦ୍ଦାରର ସଂପର୍କିୟ ବଟକୃଷ୍ଣ ପରିବାର ରହୁଥିବା ଭଡା ଘର ନିକଟରେ ପହଞ୍ଚିଥିଲେ । ସ୍ତ୍ରୀ ବିଳାସିନୀକୁ ଧକ୍କା ଦେଇ ୧୪ ବର୍ଷିୟା ନାବାଳିକା ଝିଅ ସରସ୍ଵତୀଙ୍କୁ ଧରି ଫେରାର ହୋଇ ଯାଇଥିଲା । ବଟକୃଷ୍ଣର ପରିବାର ସେଠାରେ ଥିବା ପୋଲିସ ଷ୍ଟେସନକୁ ଯାଇ ଏ ବିଷୟରେ ଅଭିଯୋଗ କଲେ । ହେଲେ ରାମଗୁଣ୍ଡା ପୋଲିସ କିଛି ପଦକ୍ଷେପ ନେଲା ନାହିଁ । ଭୋକ ଉପାସରେ ୧୫ ଦିନ ଝିଅର ଫେରିବା ବାଟକୁ ଚାହିଁ ଅପେକ୍ଷା କଲେ, ମାତ୍ର ଝିଅ ଫେରିଲା ନାହିଁ । ଶେଷରେ ଭାଙ୍ଗିପଡି ଏହି ନିରିହ ଦାଦନ ପରିବାର ସ୍ଵଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି । ଏସବୁ ସୂଚନା ଦେବା ସହିତ ଝିଅର ବାପା ମାଆ ଝିଅକୁ ଫେରାଇ ଆଣିବାକୁ ପ୍ରଶାସନ ପାଖରେ ଆକୂଳ ନିବେଦନ କରିଛନ୍ତି । ଝିଅର ଭବିଷ୍ୟତ ନଷ୍ଟ ହେବା ପୂର୍ବରୁ ଝିଅକୁ ଉଦ୍ଧାର କରାଯିବାର ଅତ୍ୟନ୍ତ ଆବଶ୍ୟକ ବୋଲି ମିନଗୁର ନାଏବ ସରପଞ୍ଚ ରାମଚନ୍ଦ୍ର ସାହୁ ମତବ୍ୟକ୍ତ କରିଛନ୍ତି ।'
© 2021 Today News 24 Odisha. All rights reserved | Developed by : SRADHA WEBCREATIONS